ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ମହୁମାଛିର ବିଶ୍ବଚେତନା

17 ଜୁଲାଇ 2017
ଶେୟାର କରନ୍ତୁ :

ପନ୍ଦର ବର୍ଷର ପିଲାଟି ମହୁବାକ୍‌ସରୁ ମହୁଫେଣା କାଢିବା ବେଳେ ମହୁମାଛି ଦଳ ମାଡିଆସିଲେ। ପରମୁହୂର୍ତ୍ତରେ ପିଲାଟି ଦେହରେ ନିଆଁ ଚରିଗଲା। ପ୍ରାଣ ବିକଳରେ ସେ ମହୁଫେଣାକୁ ଦୂରକୁ ଫୋପାଡିଦେଲା ଏବଂ ତଳେ ପଡି ମହୁଫେଣା ଭାଙ୍ଗିଗଲା। ଭାଗ୍ୟକୁ ସେଗୁଡିକ ବିଷାକ୍ତ ମହୁମାଛି ନଥିଲେ ଓ ବେଶୀ ମଧ୍ୟ କାମୁଡି ନ ଥିଲେ। ପିଲାଟିର ବାପା ଦୌଡିଆସି ପିଲାକୁ ସମ୍ଭାଳିନେଲେ। କିନ୍ତୁ ପୁଅକୁ ବୁଝେଇ କହିଲେ ଯେ କାମୁଡା ଖାଇଲେ ବି ସେ ଯେମିତି ମହୁଫେଣା ନ ଭାଙ୍ଗେ।

ସେଇ ପିଲାଟିର ନାଁ ଭବାନୀ ପାତ୍ର। ସାତଶଙ୍ଖଠାରୁ ଅଳ୍ପ ଦୂର ଚନାଗଡ ଗାଁର ପ୍ରଧାନସାହିରେ ଘର। ବାପା ଥିଲେ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗରେ ମହୁମାଛି ଚାଷର ଫିଲ୍‌ଡ୍‌ମ୍ୟାନ୍‌। କାମ ଥିଲା ମାଳ ଅଞ୍ଚଳରେ ଆଦିବାସୀମାନଙ୍କୁ ମହୁମାଛି ପାଳନ ଶିଖାଇବା। ଭବାନୀଙ୍କର ପାଠରେ ମନ ନ ଥିଲା। ଦୁଇଥର ମ୍ୟାଟ୍ରିକ୍‌ରେ ଅସଫଳ ହେବା ପରେ ବାପା ତାଙ୍କୁ ମହୁମାଛି ପାଳନ ଶିଖାଇବା ଆରମ୍ଭ କଲେ। ପାଠ ନ ପଢିଲେ ବି ପୁଅ ଅନ୍ତତଃ ରୋଜଗାର ତ କରିପାରିବ। ଏହି ସୂତ୍ରରେ ମହୁମାଛି କାମୁଡିବା ଓ ମହୁଫେଣା ଫୋପାଡି ଭାଙ୍ଗିବା ଘଟଣା ଘଟିଥିଲା।

ଭବାନୀ ସେଇଦିନ ଶିଖିଲେ ଯେ ଯତ୍ନର ସହିତ ପରିଚାଳନା କରିଲେ ଛୋଟ ମହୁମାଛି ସାଧାରଣତଃ କାମୁଡନ୍ତି ନାହିଁ। ବାଘୁଆ ମହୁମାଛିଙ୍କ ଭଳି ବିନା କାରଣରେ ସେମାନେ କାମୁଡନ୍ତି ନାହିଁ, କିମ୍ବା ସେଭଳି ବିଷାକ୍ତ ମଧ୍ୟ ନୁହନ୍ତି। ଅଥଚ ଭୟ ପାଇ ଭବାନୀ ମହୁଫେଣା ଫୋପାଡି ସେମାନଙ୍କର ଘର ଭାଙ୍ଗିଦେଲେ। ମହୁମାଛି ଚାଷୀମାନେ ଫେଣା ଭାଙ୍ଗନ୍ତି ନାହିଁ। ମହୁତକ ଯତ୍ନରେ କାଢି ଦେଇ ଫେଣାକୁ ମହୁବାକ୍‌ସ ଭିତରେ ରଖିଦେଲେ ମହୁମାଛିମାନେ ପୁଣି ସେଥିରେ ମହୁ ଭରିଦିଅନ୍ତି। ଭବାନୀଙ୍କ ବାପା କହନ୍ତି ଯେ ଯିଏ ନିସ୍ବାର୍ଥପର ଭାବରେ ନିଜ ପରିଶ୍ରମର ଫଳ ଅନ୍ୟମାନଙ୍କୁ ବାଣ୍ଟି ଦେଇପାରୁଛି, ତା’ ଘର ଭାଙ୍ଗିବା ଅନୁଚିତ।

ଆଜି ତିରିଶ ବର୍ଷର ଭବାନୀ ଜଣେ ସମ୍ମାନିତ ମହୁମାଛି ଚାଷୀ ଓ ପ୍ରଶିକ୍ଷକ। ତାଙ୍କ ସାହାଯ୍ୟରେ ଭୁବନେଶ୍ବରରେ ପ୍ରଶାସକଙ୍କଠାରୁ ଆରମ୍ଭ କରି ବଡ ବଡ ରାଜନୀତିଜ୍ଞ ନିଜ ନିଜ ଘରେ ମହୁବାକ୍‌ସ ଲଗାଇ ମହୁ ସଂଗ୍ରହ କରିପାରିଛନ୍ତି। ତାଙ୍କ କଥାବାର୍ତ୍ତା, ଚାଲିଚଳଣରେ କେବଳ ଦକ୍ଷତା ନୁହଁ, ଏକ ଅସାଧାରଣ ଆଧ୍ୟାତ୍ମିକ ଚିନ୍ତାଧାରା ଭରିରହିଛି, ଯାହା ସମସ୍ତଙ୍କୁ ଗୁଣମୁଗ୍ଧ କରିଛି। ଏବେ ଭବାନୀ ବର୍ଷକୁ ପ୍ରାୟ ୧୨୦ ବାକ୍‌ସ ମହୁମାଛିପଲ ଉତ୍ସାହୀ ବ୍ୟକ୍ତିଙ୍କୁ ଯୋଗାଇଥାଆନ୍ତି। ମହୁମାଛିର ରକ୍ଷଣାବେକ୍ଷଣ ଠାରୁ ଆରମ୍ଭ କରି ମହୁ ସଂଗ୍ରହ ପର୍ଯ୍ୟନ୍ତ ସବୁ ବିଷୟରେ ସେ ଗ୍ରାହକଙ୍କୁ ତାଲିମ ଦେଇଥାଆନ୍ତି। ନିଜ ସଂସ୍ଥା ଆରମ୍ଭ କରିବା ଆଗରୁ ସେ ପ୍ରଥମେ ଜିଲ୍ଲା ଶିଳ୍ପ ବିଭାଗ ବା ଡିଆଇସି ଅଫିସ୍‌ରେ ପଞ୍ଜିକରଣ କରାଇ ୨,୮୫,୦୦୦ଟଙ୍କା ଋଣ ନେଇ ‘ଅତିକ୍ଷୁଦ୍ର, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ(MSME)’ ବିଭାଗର ପିଏମ୍‌ଇଜିପି ସ୍କିମ୍‌ ଜରିଆରେ କାମ ଆରମ୍ଭ କରିଲେ। ମାସକୁ କିସ୍ତି ୬୬୪୮ଟଙ୍କା। ଏବେ ମଝିରେ ମଝିରେ ଉଭୟ ଓଡିଶା ସରକାର ଓ କେତେକ ବେସରକାରୀ ସଂସ୍ଥା ତାଙ୍କୁ ଜଣେ ଦକ୍ଷ ମହୁମାଛି ଟ୍ରେନର୍‌ ହିସାବରେ ବିଭିନ୍ନ ଜାଗାକୁ ମହୁପାଳନ ଶିକ୍ଷାପାଇଁ ପଠାନ୍ତି।

ମୁଁ ଯେତେବେଳେ ଦୁଇଟି ମହୁବାକ୍‌ସ ଲଗାଇବା କଥା ଚିନ୍ତା କଲି, ସେତେବେଳେ ମୋର ପ୍ରଥମ ଦେଖା ଭବାନୀଙ୍କ ସହିତ। ସେ ମୋତେ ପ୍ରଥମେ କହିଥିଲେ ଯେ ମହୁଚାଷ କରିବା ଆଗରୁ ଆମକୁ ମହୁମାଛିଙ୍କଠାରୁ କିଛି ଶିକ୍ଷା ନେବାକୁ ହେବ। ମହୁମାଛିମାନେ ଆମକୁ ଧୈର୍ଯ୍ୟ, ସହନଶୀଳତା ଶିଖାନ୍ତି। ସେମାନେ ଭୋରରୁ କାମକୁ ଚାଲିଯାଆନ୍ତି ଏବଂ ପରସ୍ପରକୁ ସାହାଯ୍ୟ କରନ୍ତି। ଫୁଲରୁ ମହୁ ଆଣିବା ବେଳେ ପରାଗ ବିଞ୍ଚି କୋଟିକୋଟି ପ୍ରାଣୀଙ୍କ ଆହାର ତିଆରି କରାନ୍ତି।

ମୁଁ ଭବାନୀଙ୍କୁ ପଚାରିଥିଲି ଯେ ସେ ଯେମିତି ସମସ୍ତଙ୍କର ପ୍ରୀତିଭାଜନ ହୋଇପାରିଛନ୍ତି, ଅନ୍ୟମାନେ କେମିତି ତାହା ପାରିବେ? ଭବାନୀଙ୍କର କହିବା କଥା ଯେ ସମସ୍ତଙ୍କ ସାଙ୍ଗରେ ଭଦ୍ର ବ୍ୟବହାର କରିବାକୁ ହେବ। ବୟସ୍କଙ୍କୁ ସମ୍ମାନ ଦେବାକୁ ହେବ। ଭବାନୀଙ୍କ ଜୀବନରେ ଏଭଳି କେତେଥର ହୋଇଛି ଯେ ଜନ୍ଦା, ପିମ୍ପୁଡି ମହୁବାକ୍‌ସକୁ ନଷ୍ଟ କରିଦେଇଛନ୍ତି ଏବଂ ତା’ ନେଇ ଗ୍ରାହକ ଅସନ୍ତୁଷ୍ଟ ହୋଇଛନ୍ତି। ‘ସେସବୁ ଅସଦ୍‌ ବ୍ୟବହାରକୁ ମନରୁ କାଢିଦେବାକୁ ହୁଏ। ମନରେ ରହିଲେ ମନ ଗୋଳେଇଘାଣ୍ଟି ହେବ।’

ଭବାନୀଙ୍କର ସରଳ କଥା। ସେ ନିଜେ ମଧ୍ୟ କହନ୍ତି ଯେ ପ୍ରଶିକ୍ଷଣ ଦେବା ବେଳେ ସରଳ ଭାଷାରେ ବୁଝେଇଦେଲେ ସମସ୍ତେ ଭଲରେ ସବୁକଥା ବୁଝିଯାଆନ୍ତି। ମୋତେ ତାଙ୍କର କଥା ଶୈଳୀ ମୁଗ୍ଧ କରିଥିଲା। ଜାଣିବାକୁ ଚାହିଁଲି ତାଙ୍କର ଆତ୍ମଜ୍ଞାନ ପଛରେ କାହାର ଅବଦାନ ରହିଛି? ସେ ଉତ୍ତର ଦେଲେ ଯେ ତାଙ୍କ ଘରେ ସବୁବେଳେ ଭାଗବତ ପାରାୟଣ ହେଉଥିଲା। କିନ୍ତୁ ଧର୍ମଚର୍ଚ୍ଚାରୁ ଅନ୍ୟାନ୍ୟ ବିଷୟରେ ଆଲୋଚନା ମଧ୍ୟ ହେଉଥିଲା। ମଣିଷର ଆଧ୍ୟାତ୍ମିକ ବୁଦ୍ଧିକୁ ଯଦି ସେ କର୍ମକ୍ଷେତ୍ରରେ ବିନିଯୋଗ ନ କରେ, ତେବେ ତା’ର ମୂଲ୍ୟ ରହେନାହିଁ। ଭବାନୀ କହିଲେ ଯେ ତାଙ୍କ ବାପା ସବୁବେଳେ କହୁଥିଲେ - ‘ଶ୍ରୋତା ବକତା ଯିଏ ପଚାରି, ତିନିହେଁ ଯାଆନ୍ତି ତରି।’ ଅର୍ଥାତ୍‌ କେବଳ ଶ୍ରୋତା ବା ବକ୍ତା ହେଲେ ଚଳିବ ନାହିଁ, ଜୀବନରେ ଉନ୍ନତି କରିବା ପାଇଁ ପ୍ରଶ୍ନ ପଚାରିବା ଜରୁରୀ। ଶିକ୍ଷକଙ୍କ କଥା ନିର୍ବାକ୍‌ ଭାବରେ ଗ୍ରହଣ ନ କରି ‘କିନ୍ତୁ’ ଓ ‘କାହିଁକି’ ଶବ୍ଦ ଯୋଡିଦେବାକୁ ହୁଏ।

ଭବାନୀ କହନ୍ତି ଯେ ମହୁମାଛି ପାଳନଠାରୁ ଆରମ୍ଭ କରି ସବୁ କିଛିରେ ତତ୍ତ୍ବ ଥାଏ। ତତ୍ତ୍ବ ଜାଣିଲେ ଜ୍ଞାନ ମିଳେ ଏବଂ ଜ୍ଞାନରୁ ହିଁ ପ୍ରକୃତ ଆନନ୍ଦପ୍ରାପ୍ତି ହୁଏ। କିନ୍ତୁ ବେଳେବେଳେ ଅଳ୍ପ ଜ୍ଞାନ ଆନନ୍ଦ ନୁହଁ, ଅହଙ୍କାର ଦିଏ। ଏହି ଅହଙ୍କାରକୁ ବର୍ଜନ କରିବାକୁ ହେବ। ମୋତେ ଆଶ୍ଚର୍ଯ୍ୟ କରି ଭବାନୀ କହିଲେ - ରାଜା ପୂଜାପାଏ ଆପଣା ଦେଶରେ, କବି ପୂଜା ପାଏ ଦେଶବିଦେଶରେ। ‘ଦକ୍ଷତା ଏକରକମର କବିତା। ରାଜା ହେବା ଦରକାର ନାହିଁ। ଦକ୍ଷ ହେଲେ ଦେଶବିଦେଶରେ ସମସ୍ତେ ଚିହ୍ନିବେ।’

ଭବାନୀ ମ୍ୟାଟ୍ରିକ୍‌ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି। କିନ୍ତୁ ନିଜ କ୍ଷେତ୍ରରେ ତାଙ୍କର ଦକ୍ଷତା, ତାଙ୍କର ଜୀବନଦର୍ଶନ ତାଙ୍କୁ ବହୁ ଉଚ୍ଚ ଡିଗ୍ରୀଧାରୀଙ୍କଠାରୁ ମଧ୍ୟ ଆଗରେ ରଖିଛି ବୋଲି ମୋର ବିଶ୍ବାସ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।